Unknown

 

 

 

 

 

 

 

 

 

 

କଳସା ଚଉତିଶା

ବତ୍ସା ଦାସ

 

କହନ୍ତି କାମିନୀ ଶୁଣ ହେମନ୍ତ ଦୁଲଣୀ

କାହୁଁ ବରେ ବରିଲେ ତୁମ୍ଭର ପିତାମଣି

କୁଳ ମୂଳ ଗୋତ୍ର ଆଦି ନାହିଁ ଜାଣ ତା’ର

କନକ ବେଦୀରେ ବୁଢ଼ା ବସିଛି ମଧ୍ୟର ।୧।

 

ଖୁଁ ଖୁଁ ଖାସ ସାହାସେଣ ପେଲୁଅଛି ଧଇଁ

ଖରନିଶ୍ୱାସ ବୁଢ଼ାର ମାଥ ଲାଗେ ଭୂଇଁ

ଖଣ୍ଡିଆ ଯୋଗୀର ସଙ୍ଗେ ନାହିଁ ଯାନ ତା’ର

ଖଣ୍ଡିଆ ବଳଦ ବୁଢ଼ା ବାନ୍ଧିଛି ପାଖର ।୨।

 

ଗୋଡ଼ ହାତ ଷଣଫୁଲ ଗଳୁଛି ନୟନ

ଗଣ୍ଡସ୍ଥଳେ ଲମ୍ବଇ ମୁଦୁରା ଦରଶନ

ଗ୍ୟାନଭ୍ରଷ୍ଟ ହୋଇଲାଣି ଭେବଳ ତା ମତି

ଗୁଣ ଲକ୍ଷଣ ବୁଢ଼ାର ନାହିଁ ତଥିଗତି ।୩।

 

ଘର ତା’ର କେବଣ ଦେଶର ତଥ୍ୟ ନାହିଁ

ଘଟାଇଲା ବିହି ଆଣି ଏମନ୍ତ କରାଇ

ଘଟ ଘଟ ହୋଇ ଲାଳ ବହୁଛି ତୁଣ୍ଡର

ଘନଜଟା ଲୋଚାଏକ ବାନ୍ଧିଛି ମୁଣ୍ଡର ।୪।

 

 

ନ ଚିହ୍ନଇ ମନୁଷ୍ୟ ସେ ନ ଦେଖେ ନୟନ

ନିକଟେ ଡାକିଲେ ନ ଶୁଣେ ତା ବେନିକର୍ଣ୍ଣ

ନଖ ମୁଖ ଚକ୍ଷୁ ସ୍ଥାନ ପଶିଲା ଭିତର

ନୂଆ ଖଣି ଖଣା ପ୍ରାଏ ଦିଶୁଛି ଉଦର ।୫।

 

କଠିନ ଶବ୍ଦାର୍ଥ - (୧) ହେମନ୍ତ - ହିମାଳୟ, ଦୁଲଣୀ - କନ୍ୟା, କନକ - ସୁବର୍ଣ୍ଣ ।

 

ଭାବାର୍ଥ - (୧-୫) ବିବାହ କାର୍ଯ୍ୟ ପ୍ରସ୍ତୁତି ଚାଲିଥାଏ । ବର ଆସି ଗଲେଣି । ବରର ରୂପକୁ ଦେଖି ସେଠାରେ ଥିବା କାମିନୀଗଣ ହିମାଳୟ ରାଜାଙ୍କ କନ୍ୟା ଗୌରୀକୁ କହିଲେ, ହେ ଜେମାମଣି ! ତୁମ ପିତା ଏମିତି ବରକୁ କେମିତି ବରଣ କରିଛନ୍ତି ? ତା’ର କୁଳ, ମୂଳଗୋତ୍ର ଜଣାନାହିଁ, ବୁଢ଼ାବୟସ, କନକ ବେଦୀ ମଧ୍ୟରେ ବସିଛି ।

 

ଖୁଁ ଖୁଁ କାଶରେ ଧଁ ସଁ ହୋଇପଡୁଛି । ଖର ନିଶ୍ୱାସରେ ମୁଣ୍ଡ ତା’ର ତଳକୁ ଲାଗିଯାଉଛି-। ଖଣ୍ଡିଆ ଯୋଗୀ ସେ । ପାଖରେ ତା’ର କୌଣସି ଯାନ ନାହିଁ । ପାଖରେ କେବଳ ଖଣ୍ଡିଆ ବୁଢ଼ା ବଳଦଟିଏ ବାନ୍ଧିଛି ।

 

ତା’ ଗୋଡ଼ ହାତ ଷଣଫୁଲ ପରି ଠେସୁଆ ଦିଶୁଛି, ଆଖି ଭିତରକୁ ପଶିଯାଇଛି, ଗାଲ ତଳକୁ ନଇଁପଡ଼ିଛି, ତା’ର ଜ୍ଞାନଭ୍ରଷ୍ଟ ହୋଇଗଲାଣି, ମତି ତା’ର ଭ୍ରମ ହୋଇଯାଇଛି । ବୁଢ଼ାର ଗୁଣ, ଲକ୍ଷଣ ତଥିଗତି ଭଲ ନାହିଁ ।

 

ଘର ତା’ର କେଉଁଠି ଜଣାନାହିଁ । ବିଧାତା ତାକୁ ଏଠାକୁ କିମିତି ଘଟାଇଲା କେଜାଣି ? ତୁଣ୍ଡରୁ ଲାଳ ବହି ପଡୁଛି । ତା’ ମୁଣ୍ଡରେ ଗହଳିଆ ଜଟା ଲୋଚାଲୋଚି ହୋଇ ରହିଛି ।

 

ମନୁଷ୍ୟକୁ ସେ ଚିହ୍ନି ପାରୁନାହିଁ । ତା’ ଆଖିକୁ ଦିଶୁ ନାହିଁ । ପାଖରେ ରହି ଡାକିଲେ ମଧ୍ୟ ଶୁଣିପାରୁନି । ନଖ, ମୁଖ, ଚକ୍ଷୁ ସବୁ ଭିତରକୁ ପଶିଯାଇଛି । ପେଟଟା ନୂଆରେ ଖେଳାଯାଇଥିବା ଖଣି ଖଣା (ଗାତ) ପରି ଦେଖାଯାଉଛି ।

 

ଚର୍ମେକ ମାଡ଼ିଣ ବୁଢ଼ା ବସିଛି ମଧ୍ୟେଣ

ଚଉପାଶେ ବେଢ଼ିଛନ୍ତି ଦେବତା ବ୍ରାହ୍ମଣ

ଚକୋରା ବୁଢ଼ାକୁ ଦେଖି ଚକିତ ହୋଇଲୁ

ଚିନ୍ତା ସାଗରରେ ସଖି!ନିଶ୍ଚୟ ବୁଡ଼ିଲୁ ।୬।

 

ଛିନ୍ନ ଅଙ୍ଗେ ଛିଣ୍ଡାଗନ୍ଥା ଲାଗିଛି ତାହାର

ଛାର ପାଉଁଶ ଲୋଚାଏ ଲେପିଛି ଶରୀର

ଛନ୍ଦିଅଛି ସର୍ପମାଳି ମୁଣ୍ଡେ ଆଭରଣ

ଛଟକେ ଭେଳିକି ବୁଢ଼ା ଲଗାଇଲା ଜାଣ ।୭।

 

ଜଙ୍ଗମକୁ ପ୍ରାପତ ହୋଇଲୁ ଚନ୍ଦ୍ରମୁଖୀ !

ଯାହା ତୋର କପାଳରେ ବିହି ଅଛି ଲେଖି

ଯୁବକାଳେ ଯଉଁ ଯୋଗ ଭୁଞ୍ଜିବୁ ନା ଯାହା

ଜାଣୁ ଜାଣୁ ଜଙ୍ଗମ ଗୋଟାକୁ ହେଲୁ ବାହା ।୮।

 

ଝୁମୁଝୁମୁ ବାଜି ଘଣ୍ଟି ଘାଗୁଡ଼ି ଲୋଚାଏ

ଝମକୁଣ ଅଛି କରେ ତ୍ରିଶୂଳ ଗୋଟାଏ

ଝୁଲିହୋଇ ଝିଙ୍କି ଦେଇ ପଡ଼ୁଛି ଢଳାଇ

ଝିଅକି ନାତୁଣୀ ପ୍ରାୟେ ଦିଶିବୁ ଗୋ ତୁହି ।୯।

 

ନିସତେଣ କହେ କଥା ନିକୁଟିଣ ଦାନ୍ତ

ନ ଆସଇ ବାଣୀ ତା’ର ଦୁହିଁ ହୁଏ ଅନ୍ତ

ନିଶ ଦାଢ଼ି ରୁଚି ତାକୁ ନ ମିଳେ ଭଣ୍ଡାରୀ

ନିଶାକାଳେ ଯେ ଦେଖିଲେ ଭୟେ ଡରିପାରି ।୧୦।

 

ଭାବାର୍ଥ - (୬-୧୦) ଚର୍ମ ଆସନ ଉପରେ ବୁଢ଼ା ମାଡ଼ି ହୋଇ ମଝିରେ ବସିଛି । ତା’ର ଚାରିପାଖରେ ଦେବତା, ବ୍ରାହ୍ମଣ ବେଢ଼ି ହୋଇ ବସିଛନ୍ତି । ସେଇ ଅପରିଛନିଆ ବୁଢାକୁ ଦେଖି ଆମେ ସବୁ ଚକିତ ହୋଇଗଲୁ । ଚିନ୍ତା ସାଗରରେ ବୁଡ଼ିଗଲୁ ।

 

ତା’ର ଖଣ୍ଡିଆ ଦେହରେ ଛିଣ୍ଡା ଗନ୍ଥା ଲାଗିଛି । ଶରୀରରେ ମଶାଣି ପାଉଁଶ ବୋଳି ହୋଇଛି । ଗଳାରେ ସର୍ପମାଳିକୁ ଆଭରଣ କରିଛି । ଘଡ଼ିକେ ପ୍ରହରକେ ବୁଢ଼ା ଭେଳିକି ଦେଖାଉଛି-

 

ଲୋ ଚନ୍ଦ୍ରମୁଖୀ ! ତୋ କପାଳକୁ ଏମିତି ଜଙ୍ଗମ (ଚଳନ୍ତ) ପୁରୁଷ ଥିଲା ? ଯାହା ତୋର କପାଳରେ ବିଧାତା ଲେଖିଛି, ତାକୁ କିଏ ଅନ୍ୟଥା କରିବ ? ଯୁବା କାଳେ ଯାହା ଭୋଗିବା କଥା ଭୋଗ କରିପାରିଲୁ ନାହିଁ । ଜାଣୁ ଜାଣୁ ଏମିତି କୁତ୍ସିତ ବୁଢ଼ାଟିକୁ ବାହା ହେଲୁ ?

 

ପାଦରେ ଘଣ୍ଟି ଘାଘୁଡ଼ି ବାନ୍ଧିଛି । ଝୁମୁଝୁମୁ ଶବ୍ଦ ହେଉଛି । ହାତରେ ତ୍ରିଶୂଳ ଗୋଟାଏ ଅଛି, ତାହା ଝଟକୁଛି । ଢଳି ହୋଇ ପଡୁଛି । ତା’ ଆଗରେ ତୁ ଝିଅ ବା ନାତୁଣୀ ପରି ଦେଖାଯିବୁ ।

 

କଥା କହିଲା ବେଳେ ଦାନ୍ତ ନିକୁଟି ହୋଇ ପଡୁଛି । ନିସ୍ତେଜ (ନିସତେଣ) ହୋଇ ଯାଉଛି । କଥା କହିପାରୁନି, କହିବାକୁ ଚେଷ୍ଟା କଲେ ଅନ୍ତପୁଟା ଦୁହିଁ ହୋଇଯାଉଛି ।

 

ନିଶଦାଢ଼ି ଯେମିତି ଅନେକ ବର୍ଷ ହେଲା କାଟିନି । ତାକୁ ଏହା ଭଲ ଲାଗୁଥିବ ପରା ? ନା ଭଣ୍ଡାରୀ ତାକୁ ମିଳୁନି ? ରାତ୍ରି କାଳରେ ତାକୁ ଯିଏ ଦେଖିବ, ଭୟରେ ଛାନିଆ ହୋଇଯିବ ।

 

ଟଳଟଳ ହୋଇ ଟେକି ବସି ନ ପାରଇ

ଟାକୁଆ ଗାଲ ପାକୁଆ ଦାନ୍ତ ଆଦି ନାହିଁ

ଟକ ଟକ ହୋଇ ତ ଲାଗଇ ବେନି କର୍ଣ୍ଣ

ଟାକରା ନିର୍ମାଖି ସେ ଅଛିତ ଅପାବନ ।୧୧।

 

ଠୁଳ କରିଥିବା ଭିକ୍ଷା ମାଗିବାର ଧନ

ଠକିଥିଲା ନେବି ବୋଲି ହେମନ୍ତ ରାଜନ

ଠକର ସ୍ୱଭାବ ସେ ଲଗାଇଲା ଆଣି

ଠାବେ ହେତୁ ନାଶଗଲା ହେମନ୍ତ ଦୁଲଣୀ ।୧୨।

 

ଡାକିଏ ବଜାଉଅଛି ଥାଳେକ ଝୋଲିର

ଡିଙ୍ଗର ଡାଙ୍ଗୁଆ ଘେନି କରିବୁ ଗୋ ଘୋର

ଡମ୍ବୁରୁଧରକୁ ସେବା କଲୁ ପରିମାଣି

ଡିଙ୍ଗର ବର ପାଇଲୁ ଦେଲେ ଶୂଳପାଣି ।୧୩।

 

ଢୋର ତପୁସିକି ମାଗୋ ବଳାଇଲୁ ଚିତ୍ତ

ଢୋକରା ଯୋଗୀକି ମାଲୋ ହୋଇଲୁ ପ୍ରାପତ

ଢମାଳି ନକର ମୁଁ ଯେ କହୁଅଛି ସତ

ଢାଳେ ହେତୁ ନାଶଗଲା ହେମନ୍ତ ଦୁହିତ ।୧୪।

 

ଅଣାଇଲେ ରାୟେ କାହୁଁ ବରେକ ବରିଣ

ଅଣ ମନୁଷ୍ୟ ଯେ ସେ ଅଛି ତ ଅପାବନ

ଅଣଖ ସାରିଲେ ମାଏ ଝିଏଦୁହେଁ ହୋଇ

ଅଣ ଉହାଡ଼ରେ ଶୀଘ୍ରେ ଦେଖାଇଲେ ନେଇ ।୧୫।

 

ତୀକ୍ଷ ଶରବର ବାଳୀ ବାଜିଲା ହୃଦର

ତଡ଼ିତେ ପଡ଼ିଲା ଢଳି ନିଜେ ତା ମନ୍ଦିର

ତକ୍ଷଣେ ତୋଳି ଧଇଲେ ତାହାଙ୍କର ଦାସୀ

ତୁରିତେ ମିଳିଲେ ମାଏ କତିରେ ତା ଆସି ।୧୬।

 

ଭାବାର୍ଥ - (୧୧-୧୬) ଟେକି ହୋଇ ଠିକ୍‍ରେ ବସି ପାରୁନି । ଟଳଟଳ ହେଉଛି । ଟାକୁଆ ଗାଲ, ପାକୁଆ ପାଟି, ଗୋଟିଏ ହେଲେ ଦାନ୍ତ ନାହିଁ । କାନ ଦି'ଟା ଓହଳି ପଡ଼ିଛି ।

 

ଭିକାରିଟା । ମାଗିଯାଚି ଯାହା ଧନ ଠୁଳ କରିଥିଲା, ଭାବିଛି, ସେଇଥିରେ ହିମାଳୟ ରାଜାଙ୍କୁ ଠକି ଦେବ । ଠକର ସ୍ୱଭାବ ତା’ର । ତା' ହାତରେ ପଡ଼ି ତୁ ଏବେ ନାଶ ଗଲୁ ।

 

ଝୋଲିରେ ଥାଳି ଧରିଛି, ତାହା ଘଡ଼ିକୁ ଘଡ଼ି ବାଜୁଛି । ହାତରେ ଡମ୍ବରୁ ଧରିଛି । ଡମ୍ବରୁଧରଙ୍କୁ ଜାଣିକରି ସେବା କଲୁ । ଶିବ ତୋତେ ଏହିଭଳି ନୀଚ ବର ଦେଲେ ?

 

ମାଲୋ, ଏମିତି ହୀନିମାନିଆ ମୁନି (ତପୁସି)କୁ ମନ କଲୁ । ଢୋକରା ଯୋଗୀ ତୋତେ ମିଳିଲା । ମୁଁ ସତ କହୁଛି, ଏଥିକୁ ପରିହାସ କରିବୁ ନାହିଁ । ଏମିତି ବରକୁ ବିଭା ହୋଇ ତୁ ନାଶ ହୋଇଗଲୁ ।

 

ଏମିତି ବର ରାଜା କେଉଁଠୁ ପାଇଲେ କେଜାଣି ? ମଣିଷ ସେ ନୁହଁ, ଅପବିତ୍ର । ମା’, ଝିଅ ଦୁହେଁ ଯାଇ ଅଣଉହାଡ଼ରେ ରହିଲେ । ଦାସୀମାନେ ତାଙ୍କୁ ବୁଢ଼ା ବରକୁ ଦେଖାଇଲେ ।

 

ବୁଢ଼ାବରକୁ ଦେବା ମାତ୍ରେ ବାଳୀର ହୃଦୟ ମଧ୍ୟରେ ଯେମିତି ତୀକ୍ଷ୍‍ଣ ଶରଟିଏ ଗଳିଗଲା । ବିଜୁଳି ବେଗରେ ନିଜ ଘର ମଧ୍ୟରେ ସେ ଟଳି ପଡ଼ିଲା । ପାଖରେ ଥିବା ଦାସୀମାନେ ତୁରନ୍ତ ତାକୁ ତୋଳି ଧରିଲେ । ଏ ଘଟଣା ଶୁଣି ଶୀଘ୍ର ରାଜମାତା ଆସି ସେଠାରେ ପହଞ୍ଚିଲେ ।

 

 

ଥରହର କରି ମାଏ ବୋଲନ୍ତି ବଚନ

ଥିରକର ମନ ମାଗୋ: ନୁହ ଅଚେତନ

ଥିଲା ଏତେକାଳେ ମୋର ଦୁଲଣୀ ହୋଇଣ

ଥନ ଯଉବନ କାଳେ ଦେଉଛି ଜୀବନ ।୧୭।

 

ଦଇନି କରି କହୁଛି ଶୁଣ ମୋର ମାଏ

ଦନ୍ତେ ତିରଣ ଧରିଣ ଓଳଗଇ ପାୟେ

ଦରିଦ୍ର ହୀନ ବୁଢ଼ାକୁ ଯେବେ ମୋତେ ଦେବୁ

ଦୁଇ ନୟନରେ ମୋର ମରଣ ଦେଖିବୁ ।୧୮।

 

ଧରାଧରି ହୋଇ ମାଏ ଝିଅ ବୋବାଇଲେ

ଧାଈ ମୁଦୁସୁଲୀମାନେ ଚହଳ ପାଇଲେ

ଧାଇଁଆସି ତତ୍‌କ୍ଷଣେ ମିଳିଲେ ରାଜନ

ଧର୍ମ ପୁଣ୍ୟକାଳେ କିମ୍ପା କରୁଛ ରୋଦନ ।୧୯।

 

ନାହିଁକି ସଂସାର ମଧ୍ୟେ ରାଜାର କୁମର

ନିର୍ଲଜ ବୁଢ଼ାକୁ ସୁନ୍ଦୁରୀକି କଲ ବର

ନୋହିଲେ ବୁଡ଼ିବୁ ମାଏ ଝିଏ ଦୁହେଁ ହୋଇ

ନୋହିଲେ ମରିବୁ ସ୍ୱହସ୍ତରେ ବିଷ ଖାଇ ।୨୦।

 

 

ପଟ ଘେନି ମାଣିକ୍ୟ ମୁକୁତାଗୁନ୍ଥା ନାହିଁ

ପୋଡ଼ୁ ପୋଡ଼ୁ ଜୀବନ ପବିତ୍ର ରାଜା ହୋଇ

ପିଅର ଜନନୀ ତୁମ୍ଭ ଜୀବନ ଧିକ ତ

ପାକୁଆ ବୁଢ଼ାକୁ ନେଇ ଘେନି ଲୋଡ଼ ବିତ୍ତ ।୨୧।

 

ଫରମାଣ ଦେଇଛନ୍ତି ହେମନ୍ତ ରାଜନ

ଫାଇ କେତେ କହିବା ଗୋ ସେହୁ ବଡ଼ଜଣ

ଫଳେଣ ଜାଣିବା ପଛେ ତାହାଙ୍କର ଗୁଣ

ଫରସେସେବିଲେ ଗୌରୀ ପାଇବ କାରଣ ।୨୨।

 

ଭାବାର୍ଥ - ( ୧୭-୨୨) ଥରହର ହୋଇ ରାଜମାତା କନ୍ୟାକୁ କହିଲେ- ମା’, ମନକୁ ସ୍ଥିର କରେ । ଚେତନାଶୂନ୍ୟ ହୁଅ ନାହିଁ । ଏତେ କାଳ ହେଲା ମୋର କନ୍ୟା ହୋଇଥିଲୁ, ବୃଦ୍ଧାକାଳେ ମୋତେ ଦୁଃଖ ଦେଉଛି ।

 

ମାତାଙ୍କ କଥା ଶୁଣି ଗଉରୀ କହିଲେ- ମା’, ମୁଁ ତୁମକୁ ବିନୀତ ହୋଇ କହୁଛି, ଦନ୍ତରେ ତିରଣ ଧରି ଓଳଗି ହେଉଛି, ଏ ଦରିଦ୍ର ହୀନ ବୁଢ଼ା ହାତରେ ମୋତେ ଯେବେ ଦେବ, ତେବେ ଦି’ ଆରେ ମୋର ମରଣ ଦେଖିବ ।

 

ରାଜମାତା ଓ କନ୍ୟା ଗୌରୀ ଦୁହେଁ ଦୁହିଁଙ୍କୁ କୁଣ୍ଢାଇ କାନ୍ଦିଲେ । ଧାଈ, ମୁଦୁସୁଲୀମାନେ ସେଠାକୁ ଧାଇଁ ଆସିଲେ । ରାଜା ମଧ୍ୟ ଏ କଥା ଶୁଣି ସେଠାରେ , ତତ୍‌କ୍ଷଣାତ୍ ପ୍ରବେଶ କଲେ । କହିଲେ- ଧର୍ମ, ପୁଣ୍ୟ କାଳେ ଏମିତି କାନ୍ଦୁଛ କାହିଁକି ?

 

ରାଜମାତା କହିଲେ- ସଂସାର ମଧ୍ୟରେ କ’ଣ କେହି ରାଜପୁତ୍ର ନ ଥିଲେ ? ଏ ନିର୍ଲଜ୍ଜ ବୁଢ଼ା ସହିତ କନ୍ୟାର ବିବାହ କରାଉଛ ? ଏ ବିବାହ ଯଦି ହେବ ଆମେ ମା’, ଝିଅ ଦୁହେଁ ଜଳରେ ବୁଡ଼ି ମରିବୁ, ନ ହେଲେ ନିଜ ହାତରେ ବିଷଖାଇ ମରିବୁ ।

 

ରାଜଜେମା କାନ୍ଦି କାନ୍ଦି ମା’ ଓ ବାପାଙ୍କ ଉଦ୍ଦେଶ୍ୟରେ କହିଲେ- ଧିକ୍ ତୁମର ଏ କାର୍ଯ୍ୟକୁ ! ତୁମର ପବିତ୍ର ରଜାପଣ ପୋଡ଼ିଯାଉ । ତୁମ ଦୁହିଁଙ୍କୁ ଧିକ୍ । ଏ ପାକୁଆ ବୁଢ଼ା ସହିତ ବିଭା କରାଉଛ, ଧନ ଲୋଡୁଛି ।

 

ରାଜା ହିମବନ୍ତ ରାଜାଦେଶ (ଫରମାଣ) ଦେଇଛନ୍ତି । ସେ ବିଷୟରେ କେତେ କହିବା-? ତାଙ୍କର ଗୁଣ ପରେ ଜାଣିବା । ଆନନ୍ଦ ଚିତ୍ତରେ ଗୌରୀ ସେବା କଲେ କାରଣ ସବୁ ଜାଣିପାରିବେ ।

 

ବିଚାର ନକର ମାଏ ଝିଅ ଦୁହେଁ ତୁମ୍ଭେ

ବିକଳ ମନରୁ ଛାଡ଼ କହୁଅଛୁଁ ଆମ୍ଭେ

ବ୍ରହ୍ମା, ବିଷ୍ଣୁ ଦେବତାଏ ଛନ୍ତି ତାଙ୍କୁ ବେଢ଼ି

ବଡ଼ ଭାଗ୍ୟବନ୍ତ ଗୌରୀ ପୁଣ୍ୟେ ଅଛି ବଢ଼ି ।୨୩।

 

ଭାଲପଟେ ଲେଖନ ଯା କରିଛି ବିଧାତା

ଭଲା ଭାଗ୍ୟବନ୍ତ ଗୌରୀ ଆମ୍ଭର ଦୁହିତା

 

ଭୋଜନର ବେଳେ ରାଣୀ ମିଳିଲାକ ଆସି

ଭିତରେ ମଣୋହି ସଞ୍ଚା ଭିଆଣ କରସି ।୨୪।

 

ମହାଦେଈ ମନବ୍ୟଥା ଛଡ଼ାଇ ରାଜନ

ମିଳିଲେ ଯେ ସର୍ବଜନ ବିଭାର ଆସ୍ଥାନ

ମଙ୍ଗଳଣ କଲେ ତହିଁ ହଳଦୀ ଚନ୍ଦନ

ମଙ୍ଗଳ ମହୁରୀ ଶଙ୍ଖ ବାଜେ ଘନ ଘନ ।୨୫।

 

ଯୁବତୀ ସକଳ ମିଳି ହୁଳହୁଳି ଦେଲେ

ଜଗେମାହିନୀକି ଦିବ୍ୟ ବେଶ କରାଇଲେ

ଜାଈଫୁଲ କନିଆର ଖୋଷାରେ ଖୋଷିଲେ

ଯତନେ କସ୍ତୁରୀ ଚିତା କପାଳରେ ଦେଲେ ।୨୬।

 

ରତ୍ନଓଢ଼ିଆଣି ଚୁଡ଼ି ମଥାରେ ସୀଉନ୍ତି

ରାମ ଅଭିଷେକ ଚୁଡ଼ି ନାସେ ରାଜମୋତି

ରୁଣୁଝୁଣୁ ବାଜୁଅଛି ପୟରେ ନୂପୁର

ରାଜୀବଦଳ ଲୋଚନେ ରଞ୍ଜିଲେ କଜ୍ଜ୍ୱଳ ।୨୭।

 

ଲତ ବଳି ପାଦେ ପିନ୍ଧି ନେତେ ଉପୁରାଣ

ଲାବଣ୍ୟ ଚନ୍ଦ୍ରବଦନୀ ଲକ୍ଷେ ଲକ୍ଷ୍ମୀଗୁଣ

 

ଲବଣ ଚଉଁରୀ ପୂଜା ଆଣି ବଢ଼ାଇଲେ

ଲଳିତେ ମଙ୍ଗଳ ଗୀତ କାମିନୀ ଗାଇଲେ ।୨୮।

 

ଭାବାର୍ଥ - (୨୩-୨୮) ରାଜା ହିମବନ୍ତ ପତ୍ନୀ ଓ କନ୍ୟାକୁ କହିଲେ- ତୁମେ । ମା’, ଝିଅ ଚିନ୍ତା କରନାହିଁ । ମନ ମଧ୍ୟରୁ ସମସ୍ତ ବିକଳ ଭାବ ଛାଡ଼ । ବ୍ରହ୍ମା, ବିଷ୍ଣୁ ଓ ଦେବଗଣ ତାଙ୍କୁ ବେଢ଼ି ରହିଛନ୍ତି । ଗୌରୀର ଭାଗ୍ୟ । ତା’ର ପୁଣ୍ୟଶକ୍ତି ବଡ଼ ।

 

ବିଧାତା ଯାହାର ଭାଲ ପଟରେ ଯେମିତି ଲେଖିଛି, ତାକୁ କିଏ ଅନ୍ୟଥା କରିପାରିବ ନାହିଁ । ଆମ କନ୍ୟା ଗୌରୀ ବଡ଼ ଭାଗ୍ୟବନ୍ତ । ଭୋଜନ ବେଳେ ରାଣୀ ଆସି ପହଞ୍ଚିଲେ । ଭିତରେ ମଣୋହି ସଞ୍ଚା ପ୍ରସ୍ତୁତ ହୋଇଥାଏ ।

 

ବରକୁ ନେଇ ରାଣୀଙ୍କ ମନରେ ଯେଉଁ ମନବ୍ୟଥା ଥିଲା, ତାକୁ ରାଜା ଦୂର କଲେ । ତା’ ପରେ ସେ ବିଭା ମଣ୍ଡପ ନିକଟରେ ପହଞ୍ଚିଲେ । ହଳଦୀ ଚନ୍ଦନ ଲଗାଇ କନ୍ୟାକୁ ମଙ୍ଗଳନ କଲେ-। ମଙ୍ଗଳ ମହୁରୀ, ଶଙ୍ଖ ଘନ ଘନ ବାଜି ଉଠିଲା ।

 

ଯୁବତୀମାନେ ମିଳି ହୁଳହୁଳି ଦେଲେ । ଜଗତମୋହିନୀ ଗୌରୀକୁ ଦିବ୍ୟବେଶ କରାଇଲେ । ଜାଈଫୁଲ, କନିଅର ଖୋଷାରେ ଖୋଷିଲେ । ଯତ୍ନର ସହିତ କସ୍ତୁରୀଚିତା କପାଳରେ ଦେଲେ ।

 

କନ୍ୟା ହାତରେ ରତ୍ନ ଓଡ଼ିଆଣି ଚୁଡ଼ି, ମଥାରେ ସିଉନ୍ତି ଦେଲେ । ପୁଣି ରାମ ଅଭିଷେକ ଚୁଡ଼ି, ନାସାରେ ଗଜମୋତି ଲଗାଇଲେ । ପାଦରେ ନୂପୁର ରହି ରୁଣୁଝୁଣୁ ବାଜୁଛି । ତା’ର ପଦ୍ମନୟନରେ କଜ୍ଜଳ ମାଖିଲେ ।

 

ପାଦରେ ଅଳତା, ପାଟରେ (ଉପରାଣ) ଓଢ଼ଣି ପକାଇଲେ । ରାଜକୁମାରୀର ଶୋଭା ଲକ୍ଷ୍ମୀଙ୍କ ଗୁଣକୁ ପ୍ରକାଶ କଲା । ଲବଣ ଚଉଁରୀ ପୂଜା କଲେ । କାମିନୀ ଗଣ ଲଳିତ ସ୍ଵରରେ ମଙ୍ଗଳ ଗୀତ ଗାନ କଲେ ।

 

ବ୍ରହ୍ମା ଆଚାର୍ଯ୍ୟ ହୋଇଣ ବେଦୀରେ ବସିଲେ

ବରକୁ ସେ ଜଣେ ଦଶ ତୋଳି ବସାଇଲେ

ବାସବର୍ଗ ବନ୍ଧୁ ବାକ୍ୟ ଅସରଳା ସୂତା

ବସିଲେ କୁଟୁମ୍ବାମାଡ଼ି ବାଳୀ ଘେନି ପିତା ।୨୯।

 

ଶିରରେଣ ବାନ୍ଧିଲେ ମୁକୁଟ ପଞ୍ଚଶାଖା

ଶୋଇପଡ଼ି ବୁଢ଼ା ଖାସୁ ଖାସୁ ଗଲା ମୂର୍ଚ୍ଛା

ଶାଶୂ ଆଦି ସମସ୍ତେ ହେଁ ବୋବାଳି ଛାଡ଼ିଲେ

ସଚେତ ପାଇଲା ବୁଢ଼ା ତୋଳି ବସାଇଲେ ।୩୦।

 

ସନ୍ତୋଷ ହସ୍ତ ଯୋଡ଼ିଣ କଲେଣ ସେ ନାରୀ

ସତ୍ୱରେଣ ଦେବତାଏ ଗଲେ ଯେଝା ପୁରୀ

ସନ୍ତୋଷେଣ ନାରୀ ମିଳି ଜୁଆ ଖେଳାଇଲେ

ସତ୍ୱରେଣ ବରକନ୍ୟା ବେଦୀରୁ ଉଠିଲେ ।୩୧।

 

ସମସ୍ତେ ବସିଣ ପଞ୍ଚୁଗ୍ରାସାଦି ସାରଲେ

ସହୀ ସଙ୍ଗାତୁଣୀମାନେ ମହୁଶଯ୍ୟା କଲେ

ସୁରଗଣେ ବର କନ୍ୟା କରୁଛନ୍ତି ଭାବ

ଶୋଭା ପାଉଛନ୍ତି ଦୁହେଁ ରତି କାମଦେବ ।୩୨।

 

ହେମନ୍ତର ରାଣୀ ସନ୍ତୋଷ ହୋଇଲେ

ହୀନ ପରପଞ୍ଚବେଶ ଯହୁଁ ପକାଇଲେ

ହୋଇଲେ ସନ୍ତୋଷ ଯେ ସକଳ ଲୋକ ଦେଖି

ହାସ୍ୟ କରୁଛନ୍ତି ସହୀ ସଙ୍ଗାତୁଣୀ ଦେଖି ।୩୩।

 

ଛଛନ୍ଦେ ଚଉଠିସାରି କାଦ ଖେଳିଗଲେ

ଛ ସାତ ଅଷ୍ଟମଙ୍ଗଳା ଉଚ୍ଛବ ସାରିଲେ

କ୍ଷିତିପତି ଠାକୁର ସେ କପିଳାସେ ସ୍ଥିତି

କ୍ଷୁଦ୍ରବୁଦ୍ଧି ବଚ୍ଛାଦାସ କଳସା ପଢ଼ନ୍ତି ।୩୪।

 

ଭାବାର୍ଥ - ( ୨୯-୩୪) ବ୍ରହ୍ମା ଆଚାର୍ଯ୍ୟ ହୋଇ ବେଦୀରେ ବସିଲେ । ସେ ବରକୁ ଦଶ ତୋଳି ବସାଇଲେ । ବନ୍ଧୁବାନ୍ଧବ, ଜ୍ଞାତିକୁଟୁମ୍ବଙ୍କୁ ଓ କନ୍ୟାକୁ ସଙ୍ଗରେ ନେଇ ରାଜା ହିମବନ୍ତ ବେଦୀରେ ବସିଲେ ।

 

ବରର ମସ୍ତକରେ ପଞ୍ଚଶାଖା ମୁକୁଟ ବାନ୍ଧିଲେ । ଏଣେ ବୁଢ଼ା କାଶି କାଶି ମୂର୍ଚ୍ଛା ଗଲା । ଏହା ଦେଖି ଶାଶୂ ପ୍ରଭୃତି ତାଟକା ହୋଇ କାନ୍ଦି ଉଠିଲେ । କିଛି କ୍ଷଣ ପରେ ବୁଢ଼ାର ଚେତା ଫେରି ଆସିଲା । ତାକୁ ଟେକି ନେଇ ବସାଇଲେ ।

 

ସନ୍ତୋଷ ମନରେ ହାତ ଯୋଡ଼ି ରାଜା ହିମବନ୍ତ କନ୍ୟାଦାନ କଲେ । ଦେବଗଣ ନିଜ ନିଜ ପୁରକୁ ଶୀଘ୍ର ଫେରିଗଲେ । କାମିନୀ ଗଣ ବିଭାବେଦୀରେ ବରକନ୍ୟାଙ୍କୁ କଉଡ଼ି (ଜୁଆ) ଖେଳାଇଲେ । ତା’ ପରେ ସେ ଦୁହେଁ ବେଦୀରୁ ଉଠିଲେ ।

 

ବିବାହ କାର୍ଯ୍ୟ ସମ୍ପନ୍ନ ହେଲା । ସମସ୍ତେ ଏକତ୍ର ବସି ପଞ୍ଚୁଗ୍ରାସ ସାରିଲେ । ସଖୀ, ସଙ୍ଗାତୁଣୀମାନେ ମଧୁଶଯ୍ୟ ପ୍ରସ୍ତୁତ କଲେ । ବରକନ୍ୟାଙ୍କ ଭାବ ଦେଖି ଦେବଗଣ ଖୁସି ହେଲେ । ଦୁହେଁ ରତି-କାମଦେବଙ୍କ ପରି ଶୋଭା ପାଉଛନ୍ତି ।

 

ହଠାତ୍ ଶିବ ନିଜର ହୀନ ପରପଞ୍ଚ ବେଶକୁ ପରିତ୍ୟାଗ କଲେ । ଏହା ଦେଖି ରାଣୀ ଅତ୍ୟନ୍ତ ଖୁସି ହେଲେ । ବର(ଶିବ)ଙ୍କ ଅପରୂପ ଶୋଭା ଦେଖି ସବୁ ଲୋକ ଆନନ୍ଦିତ ହେଲେ । ସଖୀ, ସଙ୍ଗାତୁଣୀମାନେ ବରକୁ ପରିହାସ କଲେ ।

 

(ଛଛନ୍ଦ)ରେ ସ୍ଵଚ୍ଛନ୍ଦରେ ବିଭାକାର୍ଯ୍ୟ ସମାପନ ହେଲା ପରେ ସମସ୍ତେ ଫଗୁ (କାଦ) ଖେଳିଲେ । ଛ, ସାତ ଓ ଆଠ ମଙ୍ଗଳା ବିଧିବିଧାନ ଉତ୍ସବ ସାରିଲେ ।

 

(କ୍ଷତିପତି) ବିଶ୍ୱବ୍ରହ୍ମାଣ୍ଡର କର୍ତ୍ତା ସେ ଠାକୁର । କପିଳାସରେ ତାଙ୍କର ସ୍ଥିତି । କ୍ଷୁଦ୍ରବୁଦ୍ଧିରେ ବତ୍ସା ଦାସ ଏ କଳସାକୁ ଲେଖିଛନ୍ତି ।